Sambit kumar sundaray SSVM classes

Sambit kumar sundaray SSVM classes

Share

Photos from Sambit kumar sundaray SSVM classes's post 14/11/2025

ଶିଶୁଦିବସର ବାର୍ତ୍ତା
**************

ଭାରତଦେଶର ସମସ୍ତ ଶିଶୁଙ୍କୁ ଶିଶୁଦିବସର ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ !

ଏକ ସୁସ୍ଥ ଓ ସୁନ୍ଦର ସମାଜ ଗଠନ ପାଇଁ ଶିଶୁମାନଙ୍କର ଉତ୍ତମ ଓ ସୁନ୍ଦର ଶାରୀରିକ ଓ ମାନସିକ ବିକାଶ ଅତ୍ୟନ୍ତ ଆବଶ୍ୟକ। ଶିଶୁମାନଙ୍କର ସର୍ବାଙ୍ଗୀନ ବ୍ୟକ୍ତିତ୍ବର ବିକାଶ ପାଇଁ ପିତା-ମାତା,ଗୁରୁ, ଶିକ୍ଷାନୁଷ୍ଠାନ, ପାରିପାର୍ଶ୍ବିକ ପରିବେଶ ତଥା ନୈତିକ ଓ ସଂସ୍କାରଧର୍ମୀ ଶିକ୍ଷା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରଥାଏ।

କୋମଳମତି ଶିଶୁର ମସ୍ତିଷ୍କ ଟି କଞ୍ଚା ମାଟି ପିଣ୍ଡୁଳା ଭଳି ହୋଇଥାଏ। ମନୋବିଜ୍ଞାନରେ ଏହା କୁହାଯାଇଥାଏ ଯେ ସାଧାରଣତଃ ମନୁଷ୍ଯର ସର୍ବାଙ୍ଗୀନ ଶାରୀରିକ ଓ ମାନସିକ ବିକାଶ ଶୈଶବ ଓ କୈଶୋର ଅବସ୍ଥାରେ ହିଁ ହୋଇଥାଏ । ଏଣୁ ଶିଶୁଟିର ପାରିବାରିକ, ଶିକ୍ଷା ଓ ସଙ୍ଗ ପରିବେଶ ସର୍ବଦା ଉତ୍ତମ ହେବା ଅତ୍ୟନ୍ତ ଆବଶ୍ୟକ। ଶିଶୁଟିକୁ ନିଜର ଶରୀରର ଯତ୍ନ ନେବା, ଉତ୍ତମ ଆଚରଣ ପ୍ରଦର୍ଶନ କରିବା, ଗୁରୁ-ଗୁରୁଜନଙ୍କୁ ଆଦର ଓ ସମ୍ମାନ କରିବା, ନୀତିଗତ କାର୍ଯ୍ୟକ୍ରମ କରିବା, ସମାଜିକ କାର୍ଯ୍ୟକ୍ରମରେ ଭାଗନେବା, ଖେଳାଖେଳି ଓ ବ୍ୟାୟାମ କରିବା, ଉତ୍ତମ ନିଦ୍ରା ଅଭ୍ୟାସ କରିବା, ଦୈନନ୍ଦିନ ଜୀବନରେ ଶୃଙ୍ଖଳିତ ହେବା, ନିଜକୁ ତଥା ନିଜ ପରିବେଶକୁ ପରିଷ୍କାର ଓ ପରିଚ୍ଛନ୍ନ ରଖିବା, ଭଗବତ ବିଶ୍ବାସୀ ହେବା, ସେବା ମନୋବୃତ୍ତି ରଖିବା, ଉତ୍ତମ ଆଲୋଚନା କରିବା, ଧନସମ୍ପଦ ଓ ପଦପଦବୀ ପ୍ରତି ଅତ୍ୟଧିକ ଆଶାୟୀ ନହେବା, ନିଜ ସହପାଠୀଙ୍କ ସଫଳତାରେ ଈର୍ଷାନ୍ବିତ ନହେବା, ଜାତି-ଧର୍ମର ବିଦ୍ବେଷ ଭାବରୁ ଉର୍ଦ୍ଧରେ ରହିବା ଇତ୍ୟାଦି ସଂସ୍କାରଧର୍ମୀ ଶିକ୍ଷା ପ୍ରଦାନ କରିବା ପ୍ରତ୍ୟେକ ପିତା-ମାତା, ଶିକ୍ଷକ, ଶିକ୍ଷାନୁଷ୍ଠାନ ଏବଂ ଅଭିଭାବକମାନଙ୍କ ନୈତିକ କର୍ତ୍ତବ୍ଯ ହୋଇଥାଏ।

ଶିଶୁଟିକୁ ଖରାପ ପାରିବାରିକ, ସାମାଜିକ ଓ ଶୈକ୍ଷିକ ପରିବେଶରେ ରଖି, ଏବଂ ଶିଶୁର ମନରେ ନକାରାତ୍ମକ ଭାବନା ଭରି ତଥା ଇର୍ଷା-ଦ୍ବେଷ-ଘୃଣା ଓ ପରଶ୍ରୀକାତରତା ଭାବର ଶିକ୍ଷା ଦେଇ ଶିଶୁଟି ବଡ଼ ହେଲାପରେ ତା' ଠାରେ ଉତ୍ତମ ଆଚରଣ ଆଶା ରଖିବା ନିଶ୍ଚିତ ଭାବେ ଦିବାସ୍ୱପ୍ନ ଓ ମୂର୍ଖତା ହେବ । ପିତାମାତାଙ୍କ ଓ ଗୁରୁଙ୍କ ଜୀବନଶୈଳୀ, ଆଚରଣ ଓ ମନୋଭାବ ଶିଶୁର ମନ ଉପରେ ଗଭୀର ପ୍ରଭାବ ପକାଇଥାଏ।

ଆଜିକାଲି ଭାରତଦେଶରେ ଧର୍ମ ବିଦ୍ବେଷ ଭାବ ଆଶାତୀତ ଭାବେ ବୃଦ୍ଧି ପାଇଛି । ସ୍କୁଲ, କଲେଜ, ସାଧାରଣ ସ୍ଥାନ, ସଭାସମିତି, ଟି.ଭି ଓ ମୋବାଇଲରେ ଧର୍ମ ବିଦ୍ବେଷର ପ୍ରଚାର ଅନେକ ମାତ୍ରାରେ ବୃଦ୍ଧି ପାଇଛି । ଏପରିକି ଅନେକ ଶିକ୍ଷକ ଓ ପିତାମାତା ଶିଶୁମାନଙ୍କର କୋମଳ ମନରେ ଧର୍ମ ବିଦ୍ବେଷର ବିଷ ଭରିବାକୁ କୁଣ୍ଠାବୋଧ କରୁନାହାନ୍ତି । ତତସହିତ ଆଜିକାଲି କିଛି ନାରୀବାଦୀ ଓ ତଥାକଥିତ ନାରୀ ସୁରକ୍ଷା କର୍ମୀ ଆଧୁନିକ ସମାଜରେ ନିଜର ମାନସମ୍ମାନ ଓ ପ୍ରତିଷ୍ଠା ପାଇବା ପାଇଁ ନାରୀ ସଶକ୍ତିକରଣ ଓ ସ୍ବାଧୀନତା ନାମରେ ବିଭିନ୍ନ କାର୍ଯ୍ୟକ୍ରମ ତଥା ନିଜ ଭାଷଣ ଓ ଲେଖାରେ କୋମଳମତି ଶିଶୁ କନ୍ୟା ଓ ଛାତ୍ରୀମାନଙ୍କ ମନରେ ଉତ୍ସୃଙ୍ଖଳଭାବ ଭରିବା ସହ ପୁରୁଷଙ୍କୁ ଖରାପ ଓ ଗୌଣ ଦେଖାଇ କହିବା ଓ ଲେଖିବା ନିତିଦିନିଆ କଥା ହେଲାଣି ଯାହା ଫଳରେ ସମାଜରେ ନାରୀ ଓ ପୁରୁଷଙ୍କ ମଧ୍ଯରେ ବିଦ୍ବେଷ ଭାବ ଓ ଅସହଯୋଗ ଭାବ ବି ଅନେକ ମାତ୍ରାରେ ବୃଦ୍ଧି ପାଇଛି।

କୋମଳମତି ଶିଶୁମାନଙ୍କର ମନରେ ଜାତିଧର୍ମ ଓ ନାରୀପୁରୁଷ ବିଦ୍ବେଷର ବିଷ ଭରୁଥିବା ପିତାମାତା ତଥା ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ଶିଶୁମାନଙ୍କର ଉତ୍ତମ ଭବିଷ୍ୟତର ସବୁଠାରୁ ବଡ଼ ଶତ୍ରୁ ବୋଲି କହିବା ବୋଧହୁଏ ଭୁଲ ହେବନାହିଁ, ଏବଂ ପରିଣାମ ସ୍ବରୂପ ଭବିଷ୍ୟତରେ ଦେଶର ବିଭିନ୍ନ ସଂପ୍ରଦାୟ ଓ ନାରୀ-ପୁରୁଷଙ୍କ ମଧ୍ଯରେ ବିଦ୍ୱେଷ ଓ ଅସହଯୋଗ ଭାବ ବୃଦ୍ଧି ପାଇବାର ସମ୍ଭାବନା ବହୁତ ଅଧିକ ।

କୋମଳମତି ଶିଶୁ ନିଜର ପିତାମାତା, ଅଭିଭାବକ ଓ ଗୁରୁଙ୍କୁ ଅନୁକରଣ କରିଥାନ୍ତି ତଥା ଗୁରୁଗୁରଜନଙ୍କ ଜୀବନଶୈଳୀ, ଆଚାର ବ୍ଯବହାର, ଅଭ୍ୟାସ ଇତ୍ୟାଦି ଦ୍ୱାରା ଅନୁପ୍ରାଣିତ ବି ହୋଇଥାନ୍ତି । ଏଣୁ ପିତାମାତା, ଅଭିଭାବକ, ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କ ଜୀବନ ଶୈଳୀ ସର୍ବଦା ଉତ୍ତମ ହେବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ। ଶିଶୁଟିଏ ନିଜର ପିତାମାତା, ଗୁରୁ ଓ ସମାଜର ଉଚ୍ଚ ପ୍ରତିଷ୍ଠିତ ବ୍ୟକ୍ତିବିଶେଷଙ୍କୁ ଅନୈତିକ କାର୍ଯ୍ୟକ୍ରମରେ ଲିପ୍ତ ହେବା ଦେଖିଲେ ସିଏ ବି ବଡ଼ ହେଲାପରେ ସେହି କାର୍ଯ୍ୟରେ ଲିପ୍ତ ହେବା କିଛି ଅସ୍ବାଭାବିକ କଥା ନୁହଁ।
ଯଦି ପିତାମାତା ଓ ଶିକ୍ଷକମାନେ ବିଶୃଙ୍ଖଳିତ ଓ ଅନୈତିକ ଆଚରଣରେ ଲିପ୍ତ ହେବେ, ଏବଂ ଶିଶୁମାନଙ୍କ ମନରେ ସାମାଜିକ ବିଦ୍ବେଷର ବିଷ ଭରିବା ଭଳି ହୀନ କାର୍ଯ୍ୟରେ ଲିପ୍ତ ହେବେ ତାହାହେଲେ ଶିଶୁର ମାନସିକ ବିକାଶ ଉତ୍ତମ ଓ ସୁନ୍ଦର ହୋଇପାରିବନାହିଁ ।

ଶିଶୁମାନଙ୍କର ପାଠ ପଢ଼ାରେ ଅତ୍ୟଧିକ ଟିଉସନର ଭାର, କୋଚିଂ ପ୍ରଦାନ ତଥା ପରିକ୍ଷାରେ ବହୁତ ଭଲ ମାର୍କ ରଖିବା ସକାଶେ ଅତ୍ଯଧିକ ମାନସିକ ଚାପ ପ୍ରୟୋଗ ଶିଶୁର ମାନସିକ ସ୍ବାସ୍ଥ୍ୟ ପାଇଁ କଦାପି ସ୍ବାଗତଯୋଗ୍ୟ ପଦକ୍ଷେପ ନୁହଁ। ପ୍ରତ୍ୟେକ ଶିଶୁର ନିଜର କିଛି ଅନ୍ତର୍ନିହିତ ଉତ୍କର୍ଷତା ଓ ପରାକାଷ୍ଠା ରହିଥାଏ ଏବଂ ସେ ବିଷୟରେ ଅବଗତ ହେବା ପିତାମାତା ଓ ଶିକ୍ଷକମାନଙ୍କ ମୂଳ କର୍ତ୍ତବ୍ୟ ହୋଇଥାଏ। ଶିଶୁଟିକୁ ତା'ର ନିଜର ଅନ୍ତର୍ନିହିତ ପାରଦର୍ଶିତା ଓ ପରାକାଷ୍ଠା ଦିଗରେ ବିକଶିତ କରାଇପାରିଲେ ଶିଶୁର ମନରେ ଆନନ୍ଦ ଓ ଆଗ୍ରହ ସୃଷ୍ଟି ହେବା ସହ ଶିଶୁଟି ସେହି କ୍ଷେତ୍ରରେ ବହୁତ ଭଲ ପ୍ରଦର୍ଶନ କରିଥାଏ । ଶିଶୁମାନଙ୍କର ଉତ୍ତମ ଓ ସୁନ୍ଦର ଶାରୀରିକ ଓ ମାନସିକ ସ୍ବାସ୍ଥ୍ୟର ବିକାଶ ସେମାନଙ୍କର ଉଜ୍ଜ୍ବଳ ଭବିଷ୍ୟତ ତଥା ଦେଶର ଉନ୍ନତି ଓ ପ୍ରଗତିରେ ବି ସହାୟକ ହୋଇପାରିବ । ଏହା ସହିତ ଦେଶରେ ଶାନ୍ତି ଓ ସୌହାର୍ଦ୍ଦ୍ୟପୂର୍ଣ୍ଣ ସହାବସ୍ଥାନର ଏକ ଉତ୍ତମ ପରିବେଶ ବି ସୃଷ୍ଟି କରିପାରିବ ।

ଆଜିର ଏହି ଶିଶୁ ଦିବସରେ ସମସ୍ତ ପିତାମାତା ଓ ଶିକ୍ଷକବୃନ୍ଦ ଏହି କଥାଟିକୁ ହୃଦୟଙ୍ଗମ କରିବେ ବୋଲି ମୋର ପୂର୍ଣ ବିଶ୍ବାସ ।

ଧନ୍ୟବାଦ

Want your school to be the top-listed School/college in Puri?
Click here to claim your Sponsored Listing.

Category

Website

Address


Puri
752032